//BREAKING//
Loading...

ହିଞ୍ଜିଳିରୁ ପ୍ରାର୍ଥିପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଛତ୍ରପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଭରିଲେ ନାମାଙ୍କନ

 ସ୍ୱତନ୍ତ୍ର ନ୍ୟୁଜ଼.....(ବ୍ରହ୍ମପୁର )

ବ୍ରହ୍ମପୁର: ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି (ମଙ୍ଗଳବାର) ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଅତିରିକ୍ତ ଉପଜିଲ୍ଲାପାଳ ନୀଳମାଧବ ମାଝୀଙ୍କ ନିକଟରେ ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହିତ ବିଜେଡି ନେତା ଭିକେ ପାଣ୍ଡିଆନ, ବ୍ରହ୍ମପୁର ବିଜେଡି ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର, ଆସିକା ଲୋକସଭା ପ୍ରାର୍ଥୀ ରଞ୍ଜିତା ସାହୁ, ଛତ୍ରପୁର ବିଧାୟକ ପ୍ରାର୍ଥୀ ସୁବାସ ଚନ୍ଦ୍ର ବେହେରା, ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ । ନବୀନ ପ୍ରଥମେ ମା' ତାରିତାରିଣୀଙ୍କ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ମା'ଙ୍କ ଆଶିଷ ନେଇ ନାମାଙ୍କନ ଭରିବାକୁ ଯାଇଥିଲେ ।

ସୂଚନା ମୁତାବକ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୪ ନିର୍ବାଚନରେ ଦୁଇଟି ବିଧାନସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରିବେ । ତାଙ୍କର ପାରମ୍ପରିକ ଆସନ ହିଞ୍ଜିଳିକାଟୁ ସହ ପ୍ରଥମ ଥର ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରୁ ନିର୍ବାଚନକୁ ଓହ୍ଲାଉଛନ୍ତି । ଆସନ୍ତା ୨ ତାରିଖରେ ସେ କଣ୍ଟାବାଞ୍ଜି ଆସନ ପାଇଁ ନାମାଙ୍କନ ଦାଖଲ କରିବେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶାରେ ଆସନ୍ତା ମେ' ୧୩ରୁ ଜୁନ ୧ ପର୍ଯ୍ୟନ୍ତ ଚାରୋଟି ପର୍ଯ୍ୟାୟରେ ନିର୍ବାଚନ ହେବ । ମେ' ୨୦ ତାରିଖରେ ଦ୍ବିତୀୟ ପର୍ଯ୍ୟାୟରେ ଉଭୟ ହିଞ୍ଜିଳି ଏବଂ କଣ୍ଟାବାଞ୍ଜି ଆସନରେ ମତଦାନ ହେବ ।


ନାମାଙ୍କନ ଦାଖଲ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନ ୧୧ଟା ସମୟରେ ନରସିଂହପୁର ଛକଠାରେ ପ୍ରସ୍ତୁତ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇଥିଲେ । ସେଠାରୁ କାର୍ ଯୋଗେ ମା' ତାରାତାରିଣୀଙ୍କ ପୀଠକୁ ଯାଇ ମା'ଙ୍କୁ ପୂଜାର୍ଚ୍ଚନା କରିଥିଲେ । ଏହା ପରେ ଛତ୍ରପୁର ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚି ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ହିଞ୍ଜିଳି ଆସନରୁ କ୍ରମାଗତ ଷଷ୍ଠ ଥର ପାଇଁ ନବୀନ ନାମାଙ୍କନ ଭରିଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଛତ୍ରପୁରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।






Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe