ସ୍ୱତନ୍ତ୍ର ନ୍ୟୂଜ଼ ( ବ୍ରହ୍ମପୁର )
ଆମ୍ଭେ, କଳା ଓ କଳାକାର ହିତୈଷୀ ମହାମଞ୍ଚ "ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ" ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେବାକୁ ଚାହୁଁ ଯେ -
ଚଳିତ ବର୍ଷ ମାର୍ଚ୍ଚ ୧୫ ତାରିଖରେ ଦୈନିକ ଖବରକାଗଜ 'ପ୍ରମେୟ' (ବ୍ରହ୍ମପୁର ସଂସ୍କରଣ, ପ୍ରୁଷ୍ଠା :୧୨)ରେ ଓଡିଶା ସରକାରଙ୍କ 'ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ' ତରଫରୁ ଏକ ବିଜ୍ଞାପନ (RR-79, OIPR-03029/11/0037/2324) ପ୍ରକାଶ ପାଇଥିଲା। ଉକ୍ତ ଦିନ ସମ୍ବାଦ ଆଦି ଆଉ କେକେତ ଖବରକାଗଜରେ ମଧ୍ଯ ତାହା ପ୍ରକାଶ ପାଇଥିଲା। ଯେଉଁଥିରେ ରାଜ୍ୟର ନୂଆ ତିରିଶି ହଜାର କଳାକାରଙ୍କୁ 'ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା'ରେ କଳାକାର ଭତ୍ତା ପ୍ରାପ୍ତି ନିମନ୍ତେ ଆବେଦନ କରିବା ନିର୍ଦ୍ଦେଶ ରହିଛି। ଦପ୍ତରୀୟ ନିୟମାନୁଯାଯୀ ଆବେଦନ ପତ୍ର ପୂରଣ ସହ ୩୦ ଏପ୍ରିଲ୍ ୨୦୨୪ ମଧ୍ଯରେ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ନିକଟରେ ଦାଖଲ ସକାଶେ ଉଲ୍ଲେଖ କରାଯାଇଛି।
ତଦନୁସାରେ ବରିଷ୍ଠ କଳାକାରମାନେ ଆବେଦନ ପତ୍ର ପୂରଣ ସହ ଆବଶ୍ୟକୀୟ କାଗଜ ଓ ପ୍ରମାଣ ପତ୍ର ସଂଗ୍ରହ କରି ଗଞ୍ଜାମ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ଦପ୍ତରକୁ ଗଲାବେଳେ ସେଠାରେ କେହି ଗ୍ରହଣ କରୁ ନାହାଁନ୍ତି। ନିର୍ବାଚନ ଆଚରଣ ବିଧି ଲାଗୁ ହେତୁ ସେମାନେ ତାହା ରଖି ପାରିବେ ନାହିଁ ବୋଲି ପ୍ରକାଶ କରୁଛନ୍ତି। ଏଥିପାଇଁ ଆଚରଣ ବିଧି କଟକଣା ଲାଗିବା ଏକ ଅସଙ୍ଗତି ବ୍ୟାପାର। ତେବେ ଆଚରଣ ବିଧି ହଟିଲା ବେଳକୁ ଆବେଦନ ଗ୍ରହଣର ସମୟ ସୀମା ଶେଷ ହୋଇଯାଇଥିବ। ସେମାନେ ଆଉ ତାହା ଗ୍ରହଣ କରିବେ ନାହିଁ।
ରାଜ୍ୟର ଅନ୍ଯାନ୍ଯ ଜିଲ୍ଲାମାନଙ୍କରେ ଏହି ଆବେଦନ ପତ୍ରକୁ ଗ୍ରହଣ କରାଯାଉଥିବା ବେଳେ ଗଞ୍ଜାମ ଜିଲ୍ଲାରେ ବ୍ୟତିକ୍ରମ କାହିଁକି ? ଯଦି ସେମିତି କିଛି ଅସୁବିଧା ରହିଛି ତେବେ ଜିଲ୍ଲା ସଂସ୍କୃତି ବିଭାଗ ତାହାର ସ୍ବଷ୍ଟୋକ୍ତି ଗଣମାଧ୍ୟମରେ ଏଯାବତ୍ ଦେଉ ନାହାଁନ୍ତି କାହିଁକି ? ମାର୍ଚ୍ଚ ୧୬ ତାରିଖରୁ ଅଦ୍ୟାବଧି ପ୍ରତ୍ୟେକ ଦିନ ଶହ ଶହ କଳାକାର ବହୁ ଦୂରଦୂରାନ୍ତରୁ ଆସି ନିରାଶରେ ଫେରୁଛନ୍ତି। ଶ୍ରମ, ସମୟ ଓ ଅର୍ଥର ଅଯଥା ଅପଚୟ ସହ୍ଯ କରିବାକୁ ସେମାନେ ବାଧ୍ଯ ହେଉଛନ୍ତି।
ଅତଏବ ଆମ୍ଭେ ଗଣମାଧ୍ୟମ ସହାୟତାରେ ଜିଲ୍ଲା ସଂସ୍କୃତି ବିଭାଗ ତଥା ପ୍ରଶାସନ ନିକଟରେ ସବିନୟ ପ୍ରାର୍ଥନା କରୁ କି, ଏ ସଂପର୍କରେ ଗଣମାଧ୍ୟମ ଦ୍ବାରା କଳାକାରମାନଙ୍କୁ ଯଥାର୍ଥ ସୂଚନା ଦିଅନ୍ତୁ ଓ ସମୟ ଅତିକ୍ରାନ୍ତ ପରେ କି ପ୍ରକାର ପଦକ୍ଷେପ ନେବେ ସ୍ପଷ୍ଟ କରନ୍ତୁ। ଯଦି କୌଣସି କାରଣରୁ ବିଜ୍ଞପ୍ତି ମୁତାବକ ଗଞ୍ଜାମ ଜିଲ୍ଲାର କଳାକାରମାନେ ଭତ୍ତା ପ୍ରାପ୍ତିରୁ ବଞ୍ଚିତ ହୁଅନ୍ତି ତେବେ ମହାସଂଘ ପକ୍ଷରୁ ନ୍ୟାୟାଳୟର ଦ୍ବାରସ୍ଥ ହେବା ସହ ଅନସନରେ ବସିବା ପାଇଁ ବାଧ୍ଯ ହେବୁ।
Post a Comment