ବ୍ୟବଚ୍ଛେଦ ରିପୋର୍ଟ ହିଁ କରିବ ପୁରା ଘଟଣାର ଖୁଲାସ
ବ୍ରହ୍ମପୁର:୩/୯/୨୨/:(ସ୍ୱତନ୍ତ୍ର ନିୟୁଜ଼ ): ବଡବଜାର ଥାନା ଅନ୍ତର୍ଗତ ଖଣ୍ଡିଆ କୁମୁଟି ସାହି ଚୈତନ୍ୟନଗର ପ୍ରଥମ ଲାଇନ ଠାରେ ଦୁଇ ଦିନ ପୂର୍ବେ ଜ୍ୟୋତି ସାହୁ ନାମକ ଜଣେ ବିବାହିତା ମହିଳା ଆତ୍ମହତ୍ୟା କରିଥିବା ଖବର ପ୍ରକାଶ ପାଇଥିଲା । ଖବର ପାଇ ଘଟଣା ସ୍ଥଳେ ବଡବଜାର ଥାନା ପୁଲିସ ପହଞ୍ଚି ମୃତ ଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପୁରା ଘଟଣାର ଫର୍ଦ୍ଧାଫାସ ହେବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଥିଲା । ଅନ୍ୟପଟେ ଜ୍ୟୋତିଙ୍କ ବାପା ଏହି ଘଟଣା ଆଧାର କରି ଏହା ଆତ୍ମହତ୍ୟା ନୁହେଁ ବରଂ ହତ୍ୟା କରାଯାଇଛି ବୋଲି ଅଭିଯୋଗ ଆଣି ଜ୍ବାଇଁପୁଅ ଓ ତାଙ୍କ ଦୁଇ ଭାଇ-ଭାଉଜଙ୍କ ନାଁରେ ବଡ଼ ବଜାର ଥାନାରେ ଅଭିଯୋଗ କରିଥିଲେ । ଏ ଘଟଣାରେ ମୃତ ମହିଳାଙ୍କ ବାପାଙ୍କ ଅଭିଯୋଗ କ୍ରମେ ପୁଲିସ କେସ ନଂ ୨୨୨/୨୨ରେ ଏକ ହତ୍ୟା ମାମଲା ରୁଜୁ କରି ଆଜି ଜ୍ୟୋତିଙ୍କ ସ୍ୱାମୀ ଜିତେଶ କୁମାର ସାହୁ ଓରଫ୍ ଜିତୁ ,ତାଙ୍କ ବଡ଼ ଭାଇ କୃଷ୍ଣଚନ୍ଦ୍ର ସାହୁ, ମଝିଆ ଭାଇ ଅଜିତ କୁମାର ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଥାଉକି ମୃତା ଜ୍ୟୋତି ଓ ଜିତେଶ ୨୦୨୦ ଜୁଲାଇ ମାସ ୨ତାରିଖରେ ବିବାହ ହୋଇଥିବା ବେଳେ ବର୍ତମାନ ୧ ବର୍ଷର ଶିଶୁପୁତ୍ର ରହିଛି । ବିବାହ ବେଳେ ଜ୍ୟୋତିଙ୍କ ବାପା ଘର ଲୋକ ଯୌତୁକ ବାବଦକୁ ଝିଅ ଓ ଜ୍ୱାଇଁଙ୍କୁ ଲକ୍ଷାଧିକ ଟଙ୍କାର ସୁନା ଗହଣା, ନଗଦ ୧୦ହଜାର ଟଙ୍କା ସହ ଅନ୍ୟାନ୍ୟ ଜାନି ଯୌତୁକ ଦେଇଥିଲେ । ବିବାହର କିଛି ଦିନ ପରେ ସ୍ଵାମୀ ଜିତେଶ ସ୍ତ୍ରୀ ଜ୍ୟୋତିଙ୍କୁ ଆଇପିଏଲ୍ ଖେଳିବା ପାଇଁ ଟଙ୍କା ନଥିବାରୁ ଅଧିକ ଟଙ୍କା ବାପା ମାଆଙ୍କୁ ମାଗିବା ପାଇଁ ବାଧ୍ୟ କରୁଥିବାବେଳେ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ । ଜ୍ୟୋତି ଏ ନେଇ ନିଜ ବାପା ମାଆଙ୍କୁ ଖବର ଦେଇ ଆସୁଥିଲେ । ପରେ ୨୦୨୨, ଜୁନ୍ ମାସରେ ୫୦ହଜାର ଟଙ୍କା ଜ୍ୱାଇଁପୁଅଙ୍କୁ ଜ୍ୟୋତିର ବାପା ଦେଇଥିଲେ । ଏହା ପରେ ମଧ୍ୟ ଅନେକ ସମୟରେ ଝିଅ ଜ୍ୟୋତିକୁ ତା ସ୍ବାମୀ ଜିତେଶ ମାରପିଟ କରୁଥିବା ବେଳେ ଜିତେଶର ଦୁଇ ଭାଉଜ ଜ୍ୟୋତିକୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହେଉଥିଲା । ଏହା ଜାଣିବା ପରେ ଜ୍ୟୋତିଙ୍କ ଘର ଲୋକେ କିଛି ଦିନ ତଳେ ଜ୍ୱାଇଁପୁଅଙ୍କ ଘରକୁ ଯାଇ ବୁଝାସୁଝା କରି ଫେରିଥିଲେ ବୋଲି ମୃତ ଜ୍ୟୋତିଙ୍କ ବାପା ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ପ୍ରତିଦିନ ଝିଅ-ଜ୍ୱାଇଁ ପରସ୍ପର ଝଗଡା ହେଉଥିବା ଯୋଗୁଁ ଝିଅ ଜ୍ୟୋତିର ମା ଗତ ୩୧ତାରିଖରେ ଜ୍ୱାଇଁ ପୁଅକୁ ଘରକୁ ଆପୋଷ ବୁଝାମଣା ପାଇଁ ଯାଇଥିବା ବେଳେ ସେଠାରେ ତାଙ୍କୁ ଗାଳିଗୁଲଜ କରିବା ସହ ଦୁଇ ଲକ୍ଷ ଟଙ୍କା ମାଗିବା ସହ ନ ଦେଲେ ଝିଅ-ନାତିକୁ ନେଇଯିବା ପାଇଁ ଧମକଚମକ ଦେଇଥିଲେ । ମାଁ ଯିବା ପରେ ଜ୍ୟୋତିକୁ ସ୍ବାମୀ ଜିତେଶ ପୁନର୍ବାର ମାରପିଟ୍ କରିଥିବା ଘଟଣା ଝିଅ ଜ୍ୟୋତି ବାପାକୁ ଫୋନ୍ କରି ଜଣାଇଥିଲେ । ଏହାର କିଛି ଘଣ୍ଟା ପରେ ଝିଅ ଜ୍ୟୋତି ଫାଶୀ କରି ଆତ୍ମହତ୍ୟା କରିଛି ବୋଲି ଜ୍ୱାଇଁପୁଅ ଜିତେଶ ସ୍ତ୍ରୀର ବାପାଘରକୁ ଜଣାଇଥିଲେ । ପରେ ଘଟଣା ସ୍ଥଳକୁ ଆସି ଝିଅ ଜ୍ୟୋତି ଝୁଲୁଥିବାର ଦେଖିଥିଲେ ପରିବାର ଲୋକେ । ପରେ ମୃତ ଜ୍ୟୋତିଙ୍କ ବାପା ବଡ ବଜାର ଥାନାରେ ଝିଅର ହତ୍ୟା ହୋଇଥିବା ନେଇ ଅଭିଯୋଗ କରିଥିଲେ । ଅଭିଯୋଗ ପ୍ରକାରେ ପୁଲିସ ଏକ ମାମଲା ରୁଜୁ କରି ମୃତ ଜ୍ୟୋତିଙ୍କ ସ୍ବାମୀଙ୍କ ସମେତ ତାଙ୍କ ଦୁଇ ଭାଇକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ତଦନ୍ତକାରୀ ଅଧିକାରୀ ରଞ୍ଜିତ କୁମାର ଦାସ କହିଛନ୍ତି । ଅନ୍ୟପଟେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପୁରା ଘଟଣାର ଖୁଲାସ ହେବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି । ଅନ୍ୟ ପଟେ ଝିଅର ମୃତ୍ୟୁ ଖବର ପାଇବା ପରେ ତାଙ୍କ ପରିବାର ଲୋକେ ଜ୍ୱାଇଁପୁଅ ଓ ତାଙ୍କର ଦୁଇ ଭାଇଭାଉଜଙ୍କୁ ଗାଳିଗୁଲଜ କରିବା ସହ ମାରପିଟ୍ କରିଥିବା ନେଇ ଜ୍ୱାଇଁପୁଅଙ୍କ ବଡ଼ ଭାଉଜ ବଡବଜାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପ୍ରକାରେ ପୁଲିସ କେସ ନଂ ୨୨୩/୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା କହିଛନ୍ତି ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ।
Post a Comment