ଗଞ୍ଜାମ ଜିଲ୍ଲା /ବ୍ରହ୍ମପୁର 18/6/23 (ସ୍ୱତନ୍ତ୍ର ନ୍ୟୁଜ)
ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷା ସୁନୀତା କୁମାରୀ ସେଠୀଙ୍କ ଆକସ୍ମିକ ବିୟୋଗ ପରେ ପରବର୍ତ୍ତୀ ବ୍ଳକ ଅଧ୍ୟକ୍ଷା ପଦବୀ ନିମନ୍ତେ ରବିବାର ଦିନ ବଡଡୁମ୍ବୁଳା ପଞ୍ଚାୟତର ମାଁ ସିଦ୍ଧ ବାଙ୍କେଶ୍ୱରୀ ପୀଠରେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ତଥା ବର୍ତ୍ତମାନର ଜିଲ୍ଲା ପରିଷଦ ବିପିନ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ୧୪ ଜଣ ସମିତି ସଭ୍ୟ/ ସଭ୍ୟା ଏକତ୍ରିତ ହୋଇଥିବା ଜଣାପଡିଛି । ଯେହେତୁ ପଞ୍ଚାୟତ ନିର୍ବାଚନ ପରଠାରୁ ବ୍ଳକର ନିର୍ବାଚିତ ସମିତି ସଭ୍ୟ/ ସଭ୍ୟାଙ୍କୁ ଅଣଦେଖା ଓ ଅବହେଳା ନେଇ ଏକ ପରିବର୍ଦ୍ଧିତ ଆଲୋଚନା ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷାଙ୍କ ମୃତ୍ୟୁ ପରେ ପରବର୍ତ୍ତୀ ବ୍ଳକ ଅଧ୍ୟକ୍ଷ କାହାକୁ ନ୍ୟସ୍ତ କରାଯିବ ତାହାକୁ ନେଇ ରାଜନୈତିକ ମହଲରେ ଉଷ୍ମତା ପ୍ରକାଶ ପାଇଥିବା ଜଣାପଡିଛି । ଖବରନୁଯାୟୀ , ଦିଗପହଣ୍ଡି ବ୍ଳକ ଅଧୀନରେ ୨୫ ଗୋଟି ପଞ୍ଚାୟତ ରହିଥିବା ବେଳେ ବର୍ତ୍ତମାନ ୨୩ ଜଣ ସମିତିମେମ୍ବର ରହିଛନ୍ତି । ଅଧ୍ଯକ୍ଷାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଗଞ୍ଜେଇ କେସ ମାମଲାରେ ଜେଲରେ ରହିଛନ୍ତି । ଏହି ଅବସରରେ ପଞ୍ଚାୟତ ନିର୍ବାଚନ ପରେ ପଞ୍ଚାୟତର ବିକାଶ ତଥା ରାଜ୍ୟ ସରକାରଙ୍କ ଅନୁମୋଦନରେ କାର୍ଯ୍ୟକାରୀ ହେଉଥିବା ଉନ୍ନୟନମୂଳକ କାର୍ଯ୍ଯରେ ସମସ୍ତ ସରପଞ୍ଚ ଓ ସମିତି ସଭ୍ଯଙ୍କୁ ପ୍ରାଧାନ୍ୟ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । କିନ୍ତୁ ଆଜକୁ ପଞ୍ଚାୟତ ନିର୍ବାଚନ ସରିବାର ଦେଢ଼ ବର୍ଷ ବିତିବାକୁ ଯାଉଥିବା ବେଳେ ସମସ୍ତ ପଞ୍ଚାୟତରେ ସରପଞ୍ଚ ମାନଙ୍କୁ ଗୁରୁତ୍ବ ଦିଆଯାଉଥିବା ବେଳେ ସମିତି ମେମ୍ବର ମାନଙ୍କୁ କୌଣସି ପ୍ରକାର ସୂଚନା ଦିଆଯାଉନାହିଁ । ଏପରିକି ତାଙ୍କ ପ୍ରତି ଅଣଦେଖା କରିବା ସହ ସେମାନଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି, ପ୍ରତିଶ୍ରୁତିରେ ରହିଯାଇଛି ବୋଲି ସମିତି ସଭ୍ୟ ମାନେ ବୈଠକରେ ପ୍ରତିକ୍ରିୟା ରଖିଥିଲେ । ଏଥିସହ ଦିଗପହଣ୍ଡି ବ୍ଳକରେ ପୂର୍ବରୁ ଦୀର୍ଘ ୨୫ ବର୍ଷ ଧରି ଅଧ୍ଯକ୍ଷ ଭାବେ ଦାୟିତ୍ଵ ନେଇଥିବା ଶ୍ରୀ ପ୍ରଧାନଙ୍କ ସମୟରେ ସମସ୍ତ ସମିତି ମେମ୍ବର ମାନଙ୍କୁ ଗୁରୁତ୍ବ ଦିଆଯାଉଥିଲା କିନ୍ତୁ ବର୍ତ୍ତମାନ ତାହା ସ୍ବପ୍ନରେ ପରିଣତ ହୋଇଥିବା କହିଛନ୍ତି । ଆଗାମୀ ଦିନରେ ସେମାନଙ୍କୁ ପ୍ରତି ହୋଇଥିବା ଅପମାନଙ୍କୁ ଦୂରୀଭୂତ କରିବା , ବହୁ ପଞ୍ଚାୟତରେ ରହିଥିବା ସମସ୍ୟାର ସମାଧାନ ପାଇଁ ଆଜି ଶ୍ରୀ ପ୍ରଧାନ ସମସ୍ତ ସମିତି ମେମ୍ବରକୁ ଏକତ୍ରିତ କରିଥିବାରୁ ଉପସ୍ଥିତ ନିର୍ବାଚିତ ପ୍ରତିନିଧି ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ଆଜି ସମିତି ମେମ୍ବର ମାନଙ୍କୁ ନେଇ ଏକ କମିଟି ଗଠନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିବା ବେଳେ ବଡଡୁମ୍ବୁଳା ପଞ୍ଚାୟତର ସମିତି ସଭ୍ୟ ରମେଶ ଚନ୍ଦ୍ର ପାଢ଼ୀଙ୍କୁ ସଭାପତି ଭାବେ ମନୋନୀତ କରାଯାଇଥିଲା । ଆଗାମୀ ଦିନରେ ସମିତି ମେମ୍ବର ମାନଙ୍କ ପ୍ରତି ହୋଇଥିବା ଅଣଦେଖା ପ୍ରତିବାଦରେ ସ୍ଥାନୀୟ ବିଡ଼ିଓ ଓ ଜିଲ୍ଲାପାଳଙ୍କ ନିକଟରେ ଦାବିପତ୍ର ଉପସ୍ଥାପନା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଶେଷରେ ବମକୋଇ ସମିତି ସଭ୍ୟା ଯମୁନା ନାୟକଙ୍କୁ ପରବର୍ତ୍ତୀ ଅଧ୍ଯକ୍ଷା କରିବା ପାଇଁ ବୈଠକରେ ପ୍ରସ୍ତାବ ଗୃହୀତ କରାଯାଇଥିଲା । ଏଥିସହ ବର୍ତ୍ତମାନ ପରିସ୍ଥିତିରେ ଦିଗପହଣ୍ଡି ବ୍ଳକରେ ବହୁ ପଞ୍ଚାୟତରେ ଏନ୍ ଆର୍ ଜିଏସ୍ କାର୍ଯ୍ୟରେ ବହୁ ଦୁର୍ନୀତି ହେବା ସହ ବିଭିନ୍ନ ଭତ୍ତା ପାଇଁ ହିତାଧିକାରୀମାନେ ବ୍ଳକ ଧାଇଁ ଧାଇଁ ନୟାନ୍ତ ହୋଇ ଆସୁଥିଲେ ମଧ୍ୟ ସେମାନଙ୍କ କୌଣସି ଫଳପ୍ରଦ ହୋଇପାରୁନଥିବା ଅଭିଯୋଗ କରିଛନ୍ତି । ଏହି ବୈଠକରେ ସମିତି ସଭ୍ୟ ପଙ୍କଜ ସାହୁ , ସୁଦାମ ରେଡ୍ଡୀ , ଶିବରାମ ମହାନ୍ତି , ବିଷ୍ଣୁ ସେଠୀ , ଏସ୍ . ପାର୍ବତୀ , ତମାଳ ନାୟକ , ଏସ୍ . ରୀନା ଦୋରା , ଗାୟତ୍ରୀ ପ୍ରଧାନ , ବାସୁଦେବ ସେଠୀ , ଗଣେଶ ମଲ୍ଲିକ , ଭାବିନ୍ଦ୍ର ଗୈାଡ , ଡି . ରାମାରାଓ ପ୍ରମୁଖ ସମିତି ମେମ୍ବର ଉପସ୍ଥିତ ରହିଥିବା ବେଳେ ପୂର୍ବତନ ବ୍ଳକ ବିଜେଡି ସଭାପତି ଉଦୟନାଥ ସ୍ବାଇଁ , ପୂର୍ବତନ ସରପଞ୍ଚ ସଂଘ ସଭାପତି କେ. ହରିବନ୍ଧୁ ରେଡ୍ଡୀ , ପୂର୍ବତନ ସରପଞ୍ଚ ଅସିତ୍ କୁମାର ସାହୁ , କୃଷ୍ଣଚନ୍ଦ୍ର ସାହୁ , ବିଜେଡି ନେତା ମନୋଜ ସାହୁ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ ।
Post a Comment