ଗାଙ୍ଗପୁର,୦୬/୨୨:( ସ୍ୱତନ୍ତ୍ର ନ୍ୟୂଜ଼ )ରାଷ୍ଟ୍ରର ମଙ୍ଗଳ ଉଦ୍ଦେଶ୍ୟରେ ଯୁବପିଢୀଙ୍କ କ୍ରିୟା ଓ ଚିନ୍ତନର ସକରାତ୍ମକ ପ୍ରୟୋଗ ଏକାନ୍ତ ଆବଶ୍ୟକ।ଏହାକୁ ଭିତ୍ତି କରି ସାଂପ୍ରତିକ ସ୍ଥିତିରେ ସମାଜରୁ ରକ୍ତର ସଙ୍କଟକୁ ଦୂର କରିବା ପାଇଁ ଅହରହ ଉଦ୍ୟମ କରୁଥିବା ଯୁବ ସମାଜସେବୀ ଚିନ୍ମୟ ପୋଲାଇ ଆଜି ନିଜର ଦ୍ୱାବିଂଶ ତମ ସ୍ଵନକ୍ଷତ୍ର ଦିବସ କୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ପ୍ରଥମେ ଭଞ୍ଜନଗର ରକ୍ତ ଭଣ୍ଡାରରେ ୨୧ଥର ନିମିତ୍ତ ସ୍ବେଚ୍ଛାକୃତ ରକ୍ତଦାନ କରି ଅଭିନବ ପ୍ରୟାସରେ ରାଷ୍ଟ୍ର ହିତରେ ନିଜ ଜନ୍ମଦିନ ପାଳନ କରିଛନ୍ତି।ତତ୍ପରେ, ସେ ଓଡ଼ିଶାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ରେଷ୍ପଣ୍ଡ ଟ୍ରଷ୍ଟ ଇଣ୍ଡିଆ,ବିପଦର ବନ୍ଧୁ ଓଡ଼ିଶା ଓ ଏଭରଗ୍ରୀନ୍ ଫ୍ରେଣ୍ଡସ୍ ଗ୍ରୁପ୍,କେ.ନୂଆଗଡ ସଦସ୍ୟଙ୍କ ସହଯୋଗରେ ଭଞ୍ଜନଗର ନିକଟସ୍ଥ ଏକ ଦୁର୍ଗମ ଅଞ୍ଚଳ ବଣିଆପଲ୍ଲୀ ଠାରେ ପହଞ୍ଚି କୁନି କୁନି ଶିଶୁମାନଙ୍କୁ ଆବଶ୍ୟକୀୟ ପାଠ୍ୟ ଉପକରଣ ଓ କୁପୋଷଣ ଦୂରୀକରଣ ପ୍ରୟାସ ଜନିତ ପୋଷଣଯୁକ୍ତ ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହ ପିଲାମାନଙ୍କୁ ଶିକ୍ଷା ଉପରେ ସଚେତନ କରାଯାଇଥିଲା।ଆଗାମୀ ଦିନରେ ଉକ୍ତ ଗ୍ରାମକୁ ପୋଷ୍ୟ ଗ୍ରାମ ଭାବରେ ଗ୍ରହଣ କରି ଅଞ୍ଚଳରେ ଶିକ୍ଷାର ମାନଦଣ୍ଡକୁ ସୁଦୃଢ଼ କରିବା ପାଇଁ ନିଷ୍ପତି ନିଆଯାଇଛି।ଆଜିର କାର୍ଯ୍ୟକ୍ରମରେ ରେସ୍ପଣ୍ଡ ଟ୍ରଷ୍ଟ ଅଧ୍ୟକ୍ଷ ସ୍ବସ୍ତି ସୁନ୍ଦର ଶୀୟ ଙ୍କ ଉପସ୍ଥିତିରେ ବିପଦର ବନ୍ଧୁ,ରେସ୍ପଣ୍ଡ ଟ୍ରଷ୍ଟ ଓ ଏଭରଗ୍ରୀନ୍ ଫ୍ରେଣ୍ଡସ ଗ୍ରୁପ୍ ର ସଦସ୍ୟମାନେ ସକ୍ରିୟ ସହଯୋଗ କରିଥିଲେ।ଆଜିର ସମାଜରେ ପ୍ରତ୍ୟେକ ଯୁବପିଢୀ ଚିନ୍ମୟଙ୍କ ଭଳି ନିଜ ଜୀବନକୁ ରାଷ୍ଟ୍ର ହିତରେ ନିୟୋଜିତ କରିଲେ ସମାଜର ସ୍ବାସ୍ଥ୍ୟ,ଶିକ୍ଷା,ଅର୍ଥନୀତି,ସାମାଜିକ ବ୍ୟବସ୍ଥାର ପ୍ରଗତିରେ ସହଭାଗୀତା ହୋଇପାରିବ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି। ଚିନ୍ମୟଙ୍କ ଏହିଭଳି ସାମାଜିକ କର୍ତ୍ତବ୍ୟ ପାଳନକୁ ସ୍ଥାନୀୟ ବାସିନ୍ଦା ଭୂୟସୀ ପ୍ରଶଂସା କରିଛନ୍ତି।
Post a Comment