ବେଲଗୁଣ୍ଠା-୨୫/୯-( ସ୍ୱତନ୍ତ୍ର ନ୍ୟୂଜ଼ )କଳା ସଂସ୍କୃତି ର ସହର ତଥା ମନ୍ଦିର ମାଳିନୀ ସହର ବେଲଗୁଣ୍ଠା ନିଜର କଳା,କୁଟୀର ଶିଳ୍ପ, ପିତ୍ତଳ ମାଛର କାରୁକାର୍ଯ୍ୟ ପାଇଁ ପ୍ରସିଦ୍ଧି ଲାଭ କରିଥିବା ବେଳେ ଏଥିରେ ଆଉ ଏକ ସଫଳତାର ଫର୍ଦ୍ଦ ଯୋଡ଼ି ହୋଇଛି । ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ସହର ସ୍ୱଚ୍ଛ ଅମୃତ ମହୋତ୍ସବ ଅବସରରେ ଜାତୀୟ ସ୍ତରରେ ପୁରସ୍କୃତ ହେବା ପାଇଁ ଯୋଗ୍ୟ ବିବେଚିତ ହୋଇଛି । ସ୍ୱଚ୍ଛ ଭାରତ ମିଶନ ଆନୁକୁଲ୍ୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଦେଶର ଏକ ସ୍ୱଚ୍ଛ, ସୁନ୍ଦର ଓ ଶୃଙ୍ଖଳିତ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ବେଲଗୁଣ୍ଠା ସହର ଶ୍ରେଷ୍ଠ ମନୋନୀତ ହୋଇଛି । କେନ୍ଦ୍ର ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବ୍ୟାପାର ମନ୍ତ୍ରାଳୟ ଦ୍ବାରା ପ୍ରଦତ୍ତ ଚିଠିରେ ଏହା ଉଲ୍ଲେଖ ରହିଛି । ଓଡ଼ିଶାର ୧୧ଟି ସହର ସ୍ୱଚ୍ଛ ଅମୃତ ମହୋତ୍ସବ ରେ ପୁରସ୍କୃତ ହେବେ ଜଣାପଡିଛି ।ଆସନ୍ତା ୧ ତାରିଖରେ ନୁଆ ଦିଲ୍ଲୀ ଠାରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଦ୍ୱାରା ବେଲଗୁଣ୍ଠା ଏନ୍ଏସି ସମ୍ବର୍ଦ୍ଧିତ ହେବ । ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ଏହି ଉତ୍ସବରେ ଯୋଗ ଦେଇ ପୁରସ୍କାର ଗ୍ରହଣ କରିବା ପାଇଁ ଏଥିରେ ସୂଚନା ରହିଛି ।ବେଲଗୁଣ୍ଠା ଏନ୍.ଏ.ସି ନୀର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର ଯୋଗ ଦେବା ପରେ ବେଲଗୁଣ୍ଠା ସହରର ସ୍ୱଚ୍ଛତା ପ୍ରାଥମିକତା ଦେବା ସହିତ ବିଭିନ୍ନ ସମୟରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ କରିଥିଲେ ।ଏଥି ସହିତ ବେଲଗୁଣ୍ଠା ନିକଟସ୍ଥ ନୁଆ କୋକଲୁଣ୍ଡା ଠାରେ ଥିବା ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର କୁ ଉପଯୋଗ କରି ଏହାର ସୁପରିଚାଳନା କରି ପ୍ରଶାସନିକ ମହଲରେ ପ୍ରଶଂସା ସାଉଁଟି ଥିଲେ । ଯାହାର ଫଳ ସ୍ୱରୂପ ଆଜି ଏ ପୁରସ୍କାର ମିଳିବାକୁ ଯାଉଛି ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି । ଅନେକ ସମୟରେ ସୋସିଆଲ ମିଡ଼ିଆ ମାଧ୍ୟମରେ ବେଲଗୁଣ୍ଠା ବାସୀଙ୍କୁ ସ୍ୱଚ୍ଛତା ବିଷୟରେ ବାର୍ତ୍ତା ଦେବା ସହିତ ଏନ୍ ଏ ସି କର୍ମଚାରୀ ମାନେ ନିଜେ ଘର ଘର ବୁଲି ଅଳିଆ ଆବର୍ଜ୍ଜନା ସଂଗ୍ରହ କରି ବେଲଗୁଣ୍ଠା ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ସଚେତନତା ସୃଷ୍ଟି କରାଉଥିଲେ ।ଏହା ଏନ୍ଏସି କର୍ମଚାରୀ,ବେଲଗୁଣ୍ଠା ସହରବାସୀ ଓ ବିଭିନ୍ନ ମହଲର ବ୍ୟକ୍ତି ବିଶେଷଙ୍କ ସହଯୋଗରେ ସମ୍ଭବ ହୋଇପାରିଛି ବୋଲି ଶ୍ରୀ ପାତ୍ର ଜଣାଇଛନ୍ତି ।ଏହି ଖବର ପ୍ରଚାରିତ ହେବା ପରେ ବେଲଗୁଣ୍ଠା ସହର ସମେତ ଏହାର ଆଖପାଖ ଅଞ୍ଚଳରେ ଆନନ୍ଦ ର ଲହରୀ ଖେଳିଯାଇଛି । ଏଥି ସହିତ ବେଲଗୁଣ୍ଠା ଏନ୍ଏସି ନୀର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର ଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ବର୍ତ୍ତମାନ ନୂତନ ନିର୍ବାଚିତ ଜନପ୍ରତିନିଧିଙ୍କ ସହଯୋଗରେ ବେଲଗୁଣ୍ଠା ସହରର ବିକାଶ ତଥା ସ୍ୱଚ୍ଛତା ବଜାୟ ରଖି ଆଗାମୀ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୩ ମଧ୍ୟ ଶ୍ରେଷ୍ଠ ସହର ରୁପେ ପରିଗଣିତ ହେବ ବୋଲି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ।
ରିପୋର୍ଟ- ସୁଧାଂଶୁ ଶେଖର ବିଷୋୟୀ
Post a Comment